ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରଶାସନର ବଡ଼ ପ୍ରସ୍ତୁତି | ସୁରକ୍ଷା, ଟ୍ରାଫିକ୍ ଓ ମୌଳିକ ସୁବିଧା ଉପରେ ଗୁରୁତ୍ୱ

ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାକୁ ଶାନ୍ତିଶୃଙ୍ଖଳା, ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏନେଇ ଅକ୍ଟୋବର ୧୬ ତାରିଖରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ପୂଜା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ, ରାସ୍ତା ମରାମତି, ରାସ୍ତାରେ ଆଲୋକୀକରଣ, ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବା ଏବଂ ଟ୍ରାଫିକ୍‌ ନିୟନ୍ତ୍ରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ବିଦ୍ୟୁତ୍‌ ଲାଇନ୍‌ର ରକ୍ଷଣାବେକ୍ଷଣ ଓ ରାସ୍ତାକୁ ଅବରୋଧ କରୁଥିବା ଗଛର ଡାଳ କାଟିବା କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଟିପିସିଓଡିଏଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ପଲ୍ଲିଶ୍ରୀ ମେଳା ପଡ଼ିଆକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକର ମରାମତି ଶୀଘ୍ର ସମ୍ପନ୍ନ କରିବା ସହ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଆଲୋକୀକରଣ ଓ ଡ୍ରେନ୍‌ ସ୍ଲାବ୍‌ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ବିଭାଗକୁ କୁହାଯାଇଛି। ପୂଜା ସମୟରେ ଢେଙ୍କାନାଳକୁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସ୍ୱାଗତ ପାଇଁ କୋରିଆଁ ବାଇପାସ୍‌ ଓ କଲେଜ ବାଇପାସ୍‌ଠାରେ ଦୁଇଟି ସ୍ୱାଗତ ତୋରଣ ନିର୍ମାଣ କରାଯିବ।

ପୂଜା ମଣ୍ଡପଗୁଡ଼ିକରେ ଅଗ୍ନିକାଣ୍ଡ ରୋକିବା ପାଇଁ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା ସହ ଏହାର ବ୍ୟବହାର ସମ୍ପର୍କରେ ମଣ୍ଡପ କର୍ମକର୍ତ୍ତାଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଦିଆଯିବ। ଏଥିସହ ପୂଜା ସମୟରେ ଟ୍ରାଫିକ୍‌ ଭିଡ଼ ହ୍ରାସ କରିବା ଓ ଯାତାୟାତକୁ ସୁଗମ କରିବା ପାଇଁ ଆରଟିଓ ଓ ଡିଆଇପିଆରଓ ପକ୍ଷରୁ ଗଣମାଧ୍ୟମ ଜରିଆରେ ନିୟମିତ ଟ୍ରାଫିକ୍‌ ସୂଚନା ଏବଂ ବିକଳ୍ପ ଯାତାୟାତ ମାର୍ଗ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବ।

ଅନ୍ୟପକ୍ଷରେ, ପୂଜା ଅବସରରେ ଦୋଳି ଓ ଅନ୍ୟାନ୍ୟ ମନୋରଞ୍ଜନ ଉପକରଣର ସୁରକ୍ଷା ମାନଦଣ୍ଡ ପାଳନକୁ ନେଇ ପ୍ରଶାସନ କଠୋର ରହିବ। ନିୟମ ଉଲ୍ଲଂଘନ କରୁଥିବା ସଂସ୍ଥା ବିରୋଧରେ ଜରିମାନା ଆଦାୟ କିମ୍ବା ଦୋଳି ଜବତ କରିବା ଭଳି ପଦକ୍ଷେପ ନିଆଯିବ। ରାସ୍ତାରେ ବୁଲୁଥିବା ଗୋରୁଙ୍କୁ ନିକଟସ୍ଥ ଗୋଶାଳାକୁ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ଆବଶ୍ୟକ ବ୍ୟବସ୍ଥା ନିଆଯିବ।

ଏହି ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦୀପ୍ତିରଞ୍ଜନ ସେଠୀ, ଉପଜିଲ୍ଲାପାଳ ପଦ୍ମଚରଣ ସାହୁ, ଡିଆଇବି ଅତିରିକ୍ତ ଏସ୍‌ପି ନିରଞ୍ଜନ ପାଢ଼ୀ, ମିଳିତ ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି ରାମଚନ୍ଦ୍ର ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜାକୁ ଶାନ୍ତିପୂର୍ଣ୍ଣ, ଆକର୍ଷଣୀୟ ଓ ସୁରକ୍ଷିତ କରିବା ପାଇଁ ପ୍ରଶାସନର ଏହି ପଦକ୍ଷେପ କେତେ ସଫଳ ହେଉଛି, ତାହା ଉପରେ ରହିବ ସମସ୍ତଙ୍କ ନଜର।